

୧୫୫ ଗୋଟି ଶିକ୍ଷଣ ସାମଗ୍ରୀ ପ୍ରକଳ୍ପ ପ୍ରଦର୍ଶିତ
ବିଜେପୁର/ବରଗଡ: ବରଗଡ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ବ୍ଲକସ୍ତରୀୟ ନିପୁଣ ଓଡିଶା ମେଳା ସ୍ଥାନୀୟ ସଂକର୍ଷଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷାଧିକାରୀ ନାରାୟଣ ଭୁଏଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଏନ୍ଏ.ସି ଅଧ୍ୟକ୍ଷା ସୀତା ବାରିକ, ମୁଖ୍ୟବକ୍ତା ଭାବେ ଜିଲ୍ଲା ଶିକ୍ଷା ଓ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ରଜନୀକାନ୍ତ ଦାଶ, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଶିକ୍ଷା ଓ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ଗଗନ ବେହେରା ଓ ଜନକ ସେଠ, ପୂର୍ଣ୍ଣଚନ୍ଦ୍ର ପଧାନ, ସୁଶାନ୍ତ କୁମାର ପାଣ୍ଡେ, ମିଳିତ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବାସୁଦେବ ପଧାନ ଉପସ୍ଥିତ ଥିଲେ । ଆନନ୍ଦଦାୟୀ ଶିକ୍ଷଣ ପାଇଁ ଶିକ୍ଷଣ ସାମଗ୍ରୀ ଏକାନ୍ତ ଆବଶ୍ୟକ ଓ ଏହା ପିଲାଙ୍କୁ ଭୟ ମୁକ୍ତ, ଚାପ ମୁକ୍ତ ଶିକ୍ଷଣ ନିମିତ୍ତ ଉତ୍ସାହିତ କରିଥାଏ ବୋଲି ଅତିଥିଗଣ ମତପ୍ରକାଶ କରିଥିଲେ । ସ୍ଥାନୀୟ ସ୍କୁଲର ଲିପିକା ଓ ସାଥୀଗଣ ସ୍ବାଗତ ସଂଗୀତ ଗାୟନ, ଏମ.ଗଣ୍ଡପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରୀୟା ସାହୁ ଓ ସାଥୀଗଣ ନିପୁଣ ଓଡିଶା ନୃତ୍ୟ ପରିବେଷଣ କରିଥିଲେ । ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିବାକର ବରିହା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହି ଅବସରରେ ବିଜେପୁର କ୍ଲଷ୍ଟରର ୧୩ ଜଣ ଓ ୧୨ ଗୋଟି କ୍ଲଷ୍ଟରର ଶ୍ରେଷ୍ଠ ୧୨ ଜଣ ଏଫ୍.ଏଲ୍.ଏନ୍ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବଡବାଉଁଶେନ ସି.ଆର୍.ସି.ସି ଦୁର୍ବାଦଳ ବଡଗୋଛିଆ ଶପଥ ପାଠ କରାଇଥିବା ବେଳେ ଶିକ୍ଷୟିତ୍ରୀ ନମିତା ବେହେରା ସଭା ସଂଯୋଜନା କରିଥିଲେ ଓ ସି.ଆର୍.ସି.ସି ବାସୁଦେବ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।


ପରେ ସମଗ୍ର ୧୨ ଗୋଟି କ୍ଲଷ୍ଟରରୁ ୧୫୫ ଗୋଟି ଶିକ୍ଷଣ ସାମଗ୍ରୀ ପ୍ରକଳ୍ପକୁ ଅଭିଭାବକଗଣ ପରିଦର୍ଶନ କରି ଖୁସି ବ୍ୟକ୍ତ କରିଥିଲେ । ଅଭିଭାବକଗଣ ନିପୁଣ ଓଡିଶା ମେଳାର ସେଲଫି କର୍ଣ୍ଣର୍ ର ମଜା ଉଠାଇଥିଲେ । ସୁଧାଂଶୁ ଶେଖର ଜାଲ, ସୀତାରାମ ଦୀପ, ପ୍ରକାଶ ମହାନନ୍ଦ, ହେମନ୍ତ କୁମାର ଆରୁକ, ରାଜେଶ୍ବର ବେହେରା, ପ୍ରଭାତ ରଞ୍ଜନ ସାହୁ, ନବୀନ କୁମାର ସାହୁ, ତ୍ରିନାଥ ସେଠ, ଡୋଳାମଣି କୁମ୍ଭାର, ଶରତ ପଧାନ ପ୍ରମୁଖ ସି.ଆର୍.ସି.ସି ଗଣ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।





