ଟି.ଗଣ୍ଡପାଲି କ୍ଲଷ୍ଟରରେ ନିପୁଣ ଓଡିଶା ମେଳା

ଟି.ଗଣ୍ଡପାଲି କ୍ଲଷ୍ଟରରେ ନିପୁଣ ଓଡିଶା ମେଳା

ବିଜେପୁର/ବରଗଡ : ବରଗଡ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଟି.ଗଣ୍ଡପାଲି କ୍ଲଷ୍ଟରର ଟି.ଗଣ୍ଡପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶୁଶୀଳ କୁମାର ସୁନାଙ୍କ ସଭାପତିତ୍ବରେ ନିପୁଣ ଓଡିଶା ମେଳା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଦିବାକର ବରିହା ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ କ୍ଷେତ୍ରରେ ଉନ୍ନତି ସକାଶେ ଅଭିଭାବକ/ଅଭିଭାବିକା ତଥା ଗୋଷ୍ଠୀ ସହାୟତାର ଗୁରୁତ୍ବ ଭୂମିକା ରହିଥିବାର ମତପ୍ରକାଶ କରିଥିଲେ । ସ୍ଥାନୀୟ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରଭାତ ରଞ୍ଜନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଏସ୍.ଏମ୍.ସି ଚେୟାରପର୍ସନ ରୋହିତ କୁମାର ସାହୁ, କ୍ଲଷ୍ଟରର ବରିଷ୍ଠ ଶିକ୍ଷକ ଜଗବନ୍ଧୁ ମେହେର ଉପସ୍ଥିତ ଥିଲେ । ନିମନ୍ତ୍ରୀତ ଅତିଥି ଭାବେ ସୀତାରାମ ଦୀପ, ସୁଧାଂସୁ ଶେଖର ଜାଲ, ଦୁର୍ବାଦଳ ବଡଗୋଛିଆ ପ୍ରମୁଖ ସି.ଆର୍.ସି.ସି.ଗଣ ଯୋଗ ଦେଇଥିଲେ । ଏହି ଅବସରରେ ଅତିଥିଗଣ କ୍ଲଷ୍ଟରର ସମସ୍ତ ଏଫ୍.ଏଲ୍.ଏନ୍ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ ପ୍ରଶଂସାପତ୍ର ସହ ଉପଢୌକନ ଦେଇ ସମ୍ମାନୀତ କରିବା ସହିତ ୨୦୨୩-୨୪ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ତୁଷାର ସାହୁ ଓ ଶୃତି ସାହୁଙ୍କୁ ପୁରଷ୍କୃତ କରିଥିଲେ । ମେଳାରେ କ୍ଲଷ୍ଟରର ନଅଗୋଟି ବିଦ୍ୟାଳୟରୁ ୯୦ ଜଣ ଛାତ୍ରଛାତ୍ରୀ ବିଦ୍ୟାଳୟ ଶିକ୍ଷାଦାନରେ ବ୍ୟବହୃତ ଅଭିନବ ଶିକ୍ଷଣ ଉପକରଣ ଗୁଡିକ ପ୍ରଦର୍ଶିତ କରିଥିଲେ । ମନୋରଞ୍ଜନରେ ଛାତ୍ରୀମାନେ ଶିକ୍ଷଣ ସମ୍ପର୍କୀତ ନୃତ୍ୟ ପରିବେଷଣ କରିଥିଲେ । ସମଗ୍ର କାର୍ଯ୍ୟକ୍ରମରେ ବିଦ୍ୟାଳୟର ସହକାରୀ ଶିକ୍ଷକ/ଶିକ୍ଷୟିତ୍ରୀ, ଏସ୍.ଏମ୍.ସି କମିଟୀ, ଅଭିଭାବକ/ଅଭିଭାବିକା, ଗ୍ରାମବାସୀ ଉପସ୍ଥିତ ରହି କାର୍ଯ୍ୟକ୍ରମର ସାରମର୍ମ ହୃଦୟଙ୍ଗମ କରିଥିଲେ । ଶେଷରେ ସୋମ୍ୟରଞ୍ଜନ ପଧାନ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top