ବିଜେପୁରରେ ପାଚିକା ପ୍ରଶିକ୍ଷଣ ଶିବିର

ବିଜେପୁରରେ ପାଚିକା ପ୍ରଶିକ୍ଷଣ ଶିବିର : ପ୍ରଦର୍ଶିତ ଖାଦ୍ୟ ମେଳାରେ ଅଭିଭାବକ ବିମୋହିତ

ବିଜେପୁର/ବରଗଡ : ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଜାରିଂ ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ପାଚିକା ସହାୟିକାଙ୍କ ପ୍ରଶିକ୍ଷଣ ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ହାଇସ୍କୁଲର ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ଗଡତିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷାଧିକାରୀ ନାରାୟଣ ଭୁଏ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ପଧାନ, ପୂର୍ବତନ ବିନିକା ଗୋଷ୍ଠୀ ଶିକ୍ଷା ଅଧିକାରୀ ଘନଶ୍ୟାମ ସାହୁ ଉପସ୍ଥିତ ଥିଲେ । ପରିଷ୍କାର ପରିଚ୍ଛନ୍ନ ପରିବେଶରେ ସ୍ବାସ୍ଥ୍ୟକର ଖାଦ୍ୟ ପ୍ରସ୍ତୁତି ହିଁ ସ୍କୁଲ ପିଲାଙ୍କୁ ପାଠ ମନୋପଯୋଗୀ କରାଇବାରେ ସହାୟକ ହେବ ବୋଲି ଅତିଥିଗଣ ମତପ୍ରକାଶ କରିଥିଲେ । ଜାରିଂ ସି.ଆର୍.ସି.ସି ରାଜେଶ୍ବର ବେହେରାଙ୍କ ସଂଯୋଜନାରେ ଆୟୋଜିତ ଉଦଘାଟନୀ ସମାରୋହରେ ସ୍ଥାନୀୟ ଉ.ପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାଦ୍ରବ ପାଣ୍ଡେ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଶିକ୍ଷଣ ପୂର୍ବରୁ ପାଚିକା ସହାୟିକାଙ୍କ ଦ୍ବାରା ପ୍ରସ୍ତୁତ ଖାଦ୍ୟ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା । ପିଲାମାନେ ପାଶ୍ଚାତ୍ୟ ଖାଦ୍ୟ ପ୍ରତି ବିମୁଖ ହୋଇ ପାରମ୍ପରିକ ଖାଦ୍ୟ ଖାଇବାକୁ କିପରି ଆକର୍ଷିତ ହେବେ, ତାହା ମେଳାର ମୁଖ୍ୟ ଉଦ୍ଦେଶ୍ୟ ରହିଥିବା ବେଳେ ପ୍ରଦର୍ଶିତ ଖାଦ୍ୟ ପ୍ରଦର୍ଶନୀକୁ ସ୍ଥାନୀୟ ଅଞ୍ଚଳର ଅଭିଭାବକ ପରିଦର୍ଶନ କରି ବିମୋହିତ ହୋଇଥିଲେ । ପରେ ସନ୍ତୋଷ ବାଗ, ଶଶିଭୂଷଣ ସାହୁ ପ୍ରଶିକ୍ଷକ ଭାବେ ଯୋଗଦେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଉକ୍ତ ଦୁଇ ଶିବିରରେ ଜାରିଂ, ବିଜେପୁର, ଟି.ଗଣ୍ଡପାଲି, ଖରମୁଣ୍ଡା, ପଡା କ୍ଲଷ୍ଟରର ୧୦୫ ଜଣ ପାଚିକା ସହାୟିକା ଯୋଗଦେଇ ପ୍ରଶିକ୍ଷଣ ନେଇଥିଲେ । ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ପ୍ରମାଣ ପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଲାଉମୁଣ୍ଡା ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ପାଚିକା ସହାୟିକାଙ୍କ ପ୍ରଶିକ୍ଷଣ ଶିବିରରେ ଲାଉମୁଣ୍ଡା, ପଥର୍ଲା, ବଡବ୍ରାହ୍ମଣୀ, ବଡବାଉଁଶେନ, ତାଳପଦର, ବାନ୍ଦୁପାଲି, ଯୋଖିପାଲି କ୍ଲଷ୍ଟରରେ ୧୫୩ ଜଣ ପ୍ରଶିକ୍ଷଣ ନେଇଥିଲେ । ବାସୁଦେବ ପଧାନ, ଘନଶ୍ୟାମ ଡନସନା, ଦୟାନନ୍ଦ ସାହୁ ପ୍ରମୁଖ ପ୍ରଶିକ୍ଷକ ଭାବେ ଯୋଗଦେଇ ଥିଲେ । ଏ.ବି.ଇ.ଓ ତଥା ବି.ଆର୍.ସି.ସି ଦିବାକର ବରିହା, ଏ.ବି.ଇ.ଓ ସୁଶାନ୍ତ କୁମାର ପାଣ୍ଡେ, ସି.ଆର୍.ସି.ସି ଦୁର୍ବାଦଳ ବଡଗୋଛିଆ ଶିବିର ପରିଦର୍ଶନ କରିଥିଲେ । ଲାଉମୁଣ୍ଡା ସି.ଆର୍.ସି.ସି ପ୍ରକାଶ ମହାନନ୍ଦ, ହେମନ୍ତ କୁମାର ଆରୁକ, ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ରହିଥିବା ଲଳିତ ସାହୁ, ବି.ଆର୍.ଟି ଜନାର୍ଦ୍ଦନ ବାରିକ ସମେତ ଜାରିଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଗଣ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

Oplus_131072
Oplus_131072

Leave a Comment

Your email address will not be published. Required fields are marked *

Scroll to Top