BJD-BJP Law and Order : ରାଜ୍ୟରେ ଆଇନଶୃଙ୍ଖଳାକୁ ନେଇ ତାତିଲା ବିଜେଡି

ଭୁବନେଶ୍ୱର: ରାଜ୍ୟରେ ବିଜେପିକ୍ଷ ମତାକୁ ଆସିବାର ପାଞ୍ଚ ମାସ ପୁରି ଯାଇଥିଲା ବେଳେ, ରାଜ୍ୟର ଆଇନ ଶୃଙ୍ଖଳା କେବଳ ବିପର୍ଯ୍ୟସ୍ତ ହୋଇନି, ରାଜ୍ୟ ପୋଲିସ ବାହିନୀକୁ ସରକାରୀ ଗୁଣ୍ଡା ଭାବେ ବ୍ୟବହାର କରାଯାଉଛି ବୋଲି ବିଜୁ ଜନତା ଦଳ ତରଫରୁ ଅଭିଯୋଗ କରାଯାଇଛି । ଶଙ୍ଖଭବନ ଠାରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ମୁଖ୍ୟ ସଚେତକ ତଥା ପୂର୍ବତନ ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲ୍ଲିକ ଓ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ବିଜେପି ସରକାରଙ୍କ ଶାସନ କାଳରେ ଘଟିଥିବା ପ୍ରମୁଖ ଅପରାଧିକ ଘଟଣାଗୁଡିକର ଏକ ଲମ୍ୱା ତାଲିକା ଗଣମାଧ୍ୟମ ସମ୍ମୁଖରେ ରଖିଥିଲେ । ଆସନ୍ତାକାଲି ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ପୋଲିସ ଡିଜିପିଙ୍କୁ ଭେଟି ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ପୋଲିସର ବିବାଦୀୟ ଭୂମିକା ଉପରେ ଏକ ସ୍ମାରକପତ୍ର ପ୍ରଦାନ କରାଯିବ ଓ ଯଦି ତା ପରେ ମଧ୍ୟ ସ୍ଥିତିରେ ସୁଧାର ନ ଆସେ, ତାହେଲେ ବିଜେଡି ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବୋଲି ଦୁଇ ବରିଷ୍ଠ ନେତା ସୂଚନା ଦେଇଥିଲେ ।

ଶ୍ରୀମତୀ ମଲ୍ଲିକ କହିଥିଲେ, ରାଜ୍ୟରେ ବିଜେପି କ୍ଷମତାକୁ ଆସୁ ଆସୁ ବାଲେଶ୍ୱର, ଭଦ୍ରକ ଓ ଖୋର୍ଦ୍ଧାରେ ଦଙ୍ଗାଉପୁଜିଥିଲା । ତାପରେ ନିୟମିତ ଭାବରେ, କୁଚିଣ୍ଡାରେ ଦଳିତ ନାବାଳିକାକୁ ଗଣଦୁଷ୍କର୍ମ, ବାଲାଙ୍ଗିରର ବଙ୍ଗୋମୁଣ୍ଡାରେ ଆଦିବାସୀ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ ଓ ତା ମୁହଁରେ ଜୋର ଜବରଦସ୍ତ ବିଷ୍ଠା ପୁରାଇ ଦେବା ଭଳି ଅମାନବୀୟ ଘଟଣା, ନୀଳଗିରିରେ ଆଦିବାସୀ ଯୁବତୀକୁ ବଳାତ୍କାର ଓ ହତ୍ୟା, କଟକରେ ଦଳିତ ଯୁବତୀକୁ ଗଣଦୁଷ୍କର୍ମ ଇତ୍ୟାଦି ଘଟଣା ରାଜ୍ୟରେ ଅପରାଧିକ ଘଟଣାର ଚିନ୍ତାଜନକ ଭାବେ ବୃଦ୍ଧି ଘଟି ଚାଲିଛି । ସେହିପରି, ଗଞ୍ଜାମର ତାରାତାରିଣୀ ମନ୍ଦିରରୁ ଚୋରି ଭଳି ଅନେକ ଘଟଣା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି । ଅନେକ ଘଟଣାରେ ପୋଲିସର ଭୂମିକା ମଧ୍ୟ ଚିନ୍ତାଜନକ ରହିଛି । ଯାଜପୁରରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଉପରେ ଆକ୍ରମଣର ଅଭିଯୋଗ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନ ଏକତରଫା ରହିଛି ବୋଲି ସେ କହିଥିଲେ ।

ଶ୍ରୀ ଦାସବର୍ମା କହିଥିଲେ, ବିରଜା ପ୍ରସଙ୍ଗରେ ଯାଜପୁର ଜନସାଧାରଣଙ୍କ ଦ୍ୱାରା ରାସ୍ତାରୋକ ଆନ୍ଦୋଳନ ଚାଲିଥିବା ବେଳେ ଧର୍ମଶାଳା ବିଧାୟକ ଓ ତାଙ୍କର କିଛିସମର୍ଥକ ସେହି ରାସ୍ତା ଅତିକ୍ରମ କରିବାକୁ ପ୍ରୟାସ କରିବା ବେଳେ ଦୁଇଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । କିନ୍ତୁ, ସମଗ୍ର ଘଟଣାକୁ ଓ ଶ୍ରୀସାହୁଙ୍କ ଦ୍ୱାରା ଦିଆଯାଇଥିବା ଭିନ୍ନ ଭିନ୍ନ ମନ୍ତବ୍ୟକୁ ଅନୁଧ୍ୟାନ କଲେ ଏହି ଘଟଣାରେ ବିଧାୟକ ଶ୍ରୀସାହୁଙ୍କ ଭୂମିକା ସନ୍ଦେହ ଘେରରେ ରହଛି । 

ବିଧାୟକ ଶ୍ରୀ ସାହୁ ଡିଡିଏମଙ୍କ ଅଫିସ ଯାଉଥିଲେ ବୋଲି ତାଙ୍କ ମନ୍ତବ୍ୟରେ କହିଛନ୍ତି । କିନ୍ତୁ, ଏଠାରେ ପ୍ରଶ୍ନ ଉଠୁଛି, କେଉଁ କାମ ପାଇଁ ବିଧାୟକ ରାତି ପ୍ରାୟ ସାତଟା ପଇଁଚାଳିଶ ମିନିଟରେ ଡିଡିଏମ ଅଫିସକୁ ଯାଉଥିଲେ? ସେ ଚାନ୍ଦା ଆଣିବାକୁ ଅଥବା ଦେବାକୁ ଯାଉଥିଲେ, ବିଧାୟକ ସ୍ପଷ୍ଟ କରିବା ଦରକାର ବୋଲି ଶ୍ରୀମତୀ ମଲ୍ଲିକ କହିଥିଲେ । ଘଟଣାସ୍ଥଳର ଭିଡିଓ ବିଭିନ୍ନ ଗଣମାଧ୍ୟମରେ ଘୁରି ବୁଲୁଥିବାବେଳେ, ବିଧାୟକ ଆନ୍ଦୋଳନରତ ଜନସାଧାରଣ ମରଣାତ୍ମକ ଆକ୍ରମଣ କରିଛନ୍ତି ବୋଲି ବିଧାୟକଙ୍କ ଅଭିଯୋଗର କୌଣସି ଭିଜୁଆଲ ଦେଖିବକୁ ମିଳି ନାହିଁ । ତେଣୁ, ବିଧାୟକଙ୍କ ଉପରେ ଆକ୍ରମଣ ଅଭିଯୋଗର ସତ୍ୟାସତ୍ୟକୁ ନେଇ ସନ୍ଦେହ ରହିଛି । ଅପରପକ୍ଷରେ, ଧର୍ମଶାଳାର କିଛି ବିଧାୟକଙ୍କ ସମର୍ଥକ ଠେଙ୍ଗା ଓ ଅନ୍ୟାନ୍ୟ ମାରଣାସ୍ତ୍ର ଧରି ଘଟଣାସ୍ଥଳରେ ବୁଲୁଥିବାର ଭିଡିଓ ଦେଖିବାକୁମିଳିଛି ।

ବିଧାୟକଙ୍କ ଦ୍ୱାରା ଭିନ୍ନ ଭିନ୍ନ ଗଣମାଧ୍ୟମକୁ ଦିଆ ଯାଇଥିବା ବୟାନ ମଧ୍ୟରେ ତାଳମେଳ ରହୁ ନ ଥିବାରୁ ତାଙ୍କ କଥାର ସତ୍ୟତାକୁ ନେଇ ପ୍ରଶ୍ନ ଉଠିଛି । ଗୋଟିଏ ଗଣମାଧ୍ୟମରେ ଶ୍ରୀସାହୁ ଲଲ ଦାସ ତାଙ୍କୁ ଫୋନ କରି ନିଜର ଭୁଲ ସ୍ୱୀକାର କରିବା ସହିତ ଘଟଣାକୁ ଆଗକୁ ନବଢ଼ାଇବାକୁ କହିଥିଲେ ବୋଲି ମନ୍ତବ୍ୟ ରଖିଥିଲା ବେଳେ ଆଉ ଗୋଟିଏ ଗଣମାଧ୍ୟମକୁ ବବି ଦାସଙ୍କ ଭାଇ ତାଙ୍କୁ ଫୋନରେ ଜୀବନରୁ ମାରିଦେବାର ଧମକ ଦେଇଥିଲେ ବୋଲି କହିଥିଲେ । ତେଣୁ ବିଧାୟକଙ୍କ ଦୁଇଟି କଥାରୁ କେଉଁଟା ସତ? ସେହିପରି, ବିଧାୟକ ତାଙ୍କ ମନ୍ତବ୍ୟରେ ଲୋକମାନେ ତାଙ୍କ ପିଏସଓଙ୍କଠାରୁ ବନ୍ଧୁକ ଛଡାଇ ନେଇ ତାଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ ବୋଲି କହିଛନ୍ତି । କିନ୍ତୁ, ପିଏସଓ ତାଙ୍କ ମନ୍ତବ୍ୟରେ ତାଙ୍କଠାରୁ ବନ୍ଧୁକ ଛଡାଯିବା କଥା କହିନାହାନ୍ତି ।

ଏହି ଘଟଣାରେ ବିଧାୟକଙ୍କ ଦ୍ୱାରା କରାଯାଇଥିବା ସମସ୍ତ ଦାବି ଅମୂଳକ ଓ ଭିତ୍ତିହୀନ ବୋଲି ସ୍ପଷ୍ଟ ହେଉଛି । ବିଧାୟକ ମଦ ପିଉଥିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ସେ ତାଙ୍କ ଉପରେ ଆକ୍ରମଣ ହୋଇଛି ବୋଲି ଏକ ମିଥ୍ୟା ଅଭିଯୋଗ ମାଧ୍ୟମରେ ସମବେଦନା ପାଇବାକୁ ଅପଚେଷ୍ଟା କରୁଛନ୍ତି । ସମଗ୍ର ଘଟଣାଟି ବିଧାୟକଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା ବେଳେ ପୋଲିସ ସରକାରୀ ଦଳର ବୋଲକରା ସାଜିଛି । ଆକ୍ରମଣ ଅଭିଯୋଗର କୌଣସି ପ୍ରମାଣ ନଥିଲେ ମଧ୍ୟ କେବଳ ଅଭିଯୋଗ ଉପରେ ପୋଲିସ ଗିରଫ କରିଛି । ସେହିପରି, ଶ୍ରୀସାହୁଙ୍କ କିଛି ସମର୍ଥକମାନେ କିଛି ମରଣାସ୍ତ୍ର ଧରି ଘଟଣାସ୍ଥଳରେ ବୁଲୁଥିବାର ଭିଜୁଆଲ ଗଣମାଧ୍ୟମରେ ଦେଖିବାକୁ ମିଳୁଥିଲେ ମଧ୍ୟ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ତେଣୁ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନସୁଧୁରିଲେ ଓ ପୋଲିସ ପ୍ରଶାସନ ବିଜେପିର ହାତବାରିସୀ ନ ସାଜି ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ ପାଇଁ ବିଜୁଜନତା ଦଳ ଡିଜି ପୋଲିସଙ୍କ ହସ୍ତକ୍ଷେପ ଲୋଡୁଛି ବୋଲି ଶ୍ରୀ ଦାସବର୍ମା କହିଥିଲେ । 

Leave a Comment

Your email address will not be published. Required fields are marked *

Scroll to Top