ବରଗଡ଼/ ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ହାଇସ୍କୁଲରେ ଜିଲ୍ଲାସ୍ତରୀୟ ଜୁନିୟର ରେଡକ୍ରସ ଶିବିର ଉଦଘାଟିତ ହୋଇଯାଇଛି । ଜିଲ୍ଲା ଜିଲ୍ଲା ଶିକ୍ଷାଧିକାରୀ ତଥା ଜୁନିୟର ରେଡକ୍ରସ ସୋଶାଇଟି ଅଧ୍ୟକ୍ଷ ରାଧାକାନ୍ତ ଛତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ କୁମାର ଗଡତୀୟା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ସ୍କୁଲର ପ୍ରଧାନ ଶିକ୍ଷକ ମନୋଜ ବେହେରା, ଜିଲ୍ଲା କ୍ରୀଡା ଶିକ୍ଷା ଅଧିକାରୀ ସୁଦୀପ୍ତ କୁମାର ନାୟକ, ରେଡିଏନ୍ସ୍ ଶିକ୍ଷାନୁଷ୍ଠାନର ଚେୟାରମେନ ଅଜିତ କୁମାର ମେହେର, ଜାରିଂ ସରପଞ୍ଚ ପ୍ରଭାସିନୀ ବିଭାର, ଜିଲ୍ଲା ଜୁନିୟର ରେଡକ୍ରସ ଅଧିକାରୀ ହେମନ୍ତ ସାମଲ, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଧାନ ଓ ସୁଶାନ୍ତ କୁମାର ପାଣ୍ଡେ ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ମଞ୍ଚାସୀନ ଥିଲେ । ରବି ଶଙ୍କର ଗୁରୁ ସଭା ପରିଚାଳନା କରିଥିଲେ । ପ୍ରରମ୍ଭରୁ ଭବ୍ୟ ସମାରୋହରେ ଜିଲ୍ଲା ଶିକ୍ଷାଧିକାରୀ ରାଧାକାନ୍ତ ଛତ୍ରୀ ରେଡକ୍ରସ ପତାକା ଉତ୍ତୋଳନ କରିଥିଲେ । ନିଃସ୍ବାର୍ଥପର ସେବା ହିଁ ଈଶ୍ବର ପ୍ରାପ୍ତିର ପ୍ରକୃଷ୍ଟ ମାଧ୍ୟମ । ତେଣୁ ଯିଏ ଯେଉଁ କ୍ଷେତ୍ରରେ ଥିଲେ ହେଁ ନିଜର ସେବା କାର୍ଯ୍ୟକୁ ଅବ୍ୟାହତ ରଖିବା ବୋଲି ଉଦଘାଟନୀ ସମାରୋହରେ ଅତିଥିଗଣ ମତପୋଷଣ କରିଥିଲେ । ସ୍ଥାନୀୟ ସ୍କୁଲର ସମୀକ୍ଷା ଜେନା, ଜ୍ୟୋତ୍ସ୍ନା ସାହୁ ଓ ରେଣୁ ଶର୍ମା ପ୍ରମୁଖ ଛାତ୍ରୀମାନେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ । ତିନିଦିନ ଧରି ହେବାକୁ ଥିବା ଉକ୍ତ ଶିବିରରେ ରେଡକ୍ରସ ସମ୍ବନ୍ଧୀୟ ଶିକ୍ଷା ଗ୍ରହଣ ପାଇଁ ଜିଲ୍ଲାର ବାରଗୋଟି ବ୍ଲକର ୧୨୦ ଜଣ ଛାତ୍ରଛାତ୍ରୀ ଶିବିରରେ ଯୋଗଦେଇଥିଲେ । ଶେଷରେ କୃଷ୍ଣଚନ୍ଦ୍ର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।




